ଓଡିଆ ଗପ | Odia Gapa |Odia Short Story | Odia Story| Coronavirus Odia Story & Gapa

ସତ କାହାଣୀ

ଜାପାନ ଦେଶର ଏକ ସତ୍ୟ ଘଟଣା ଉପରେ ଆଧାରିତ ଏ କାହାଣୀଟି ୲ ଘରଟି ବଢନ୍ତା ପରିବାର ପାଇଁ ଛୋଟ ପଡୁଥିଲା ୲ ଘରଟିକୁ ଭାଙ୍ଗି ଆଉ ଟିକିଏ ବଢ଼େଇବା ପାଇଁ ମନସ୍ଥ କରି ଘର ମାଲିକ ଘରଟିକୁ ଭାଙ୍ଗିବା ଆରମ୍ଭ କଲେ ୲ ଭୂମିକମ୍ପ ଦାଉରୁ ରକ୍ଷା ପାଇବା ପାଇଁ ଜାପାନର ଅଧିକାଂଶ ଘର କାଠରେ ତିଆରି ୲ ଦୁଇ ପଟ କାନ୍ଥ ମଝିରେ କିଛିଟା ଫାଙ୍କା ରହିଥାଏ ୲ ଘର ଭାଙ୍ଗିବା ସମୟରେ ଜାପାନୀ ଜଣକ ଲକ୍ଷ୍ୟ କଲେ ଯେ ଦୁଇ କାନ୍ଥ ର ଫାଙ୍କା ସ୍ଥାନରେ ଗୋଟିଏ ଝିଟିପିଟି ଅଟକି ରହିଛି ୲ ତାର ଗୋଟିଏ ଗୋଡ଼ରେ କଣ୍ଟାଟିଏ ଲଟକି ରହିଛି ୲ ତାଙ୍କର ମନେ ପଡ଼ିଲା ପାଞ୍ଚ ବର୍ଷ ଆଗରୁ ଘର ତିଆରି ସମୟରେ କଣ୍ଟା ମାରି କାନ୍ଥ ଛିଡା କରିଥିଲେ. ସେ ସମୟରେ ହୁଏତ ଝିଟିପିଟି ର ଗୋଡ଼ରେ କଣ୍ଟାଟି ଲାଖି ଯାଇଥିଲା ଓ ସେ ଆଉ ସେଠାରୁ ଖସି ପଳେଇଯିବା ପାଇଁ ସକ୍ଷମ ହୋଇ ପାରି ନଥିଲା ୲ କିନ୍ତୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଝିଟିପିଟି ଟି ନଖାଇ ନପିଇ ବଞ୍ଚି ରହିଲା କେମିତି? ଲୋକଟିର ମନରେ କୌତୁହଳ ଜାତ ହେଲା ୲ ସେ କାମ ବନ୍ଦ କରି ଝିଟିପିଟି ଟିକୁ ଲକ୍ଷ୍ୟ କରି ଠିଆହୋଇ ରହିଲା ଟିକିଏ ଦୂରରେ ୲ ବେଶ କିଛି ସମୟ ଗଲା ୲ ସେମିତି କିଛି ଘଟଣା ଘଟିଲା ନାହିଁ ୲ ନିରାଶ ହୋଇ କାମ ଆରମ୍ଭ କରିବା ପାଇଁ ଯାଉଛି, ହଠାତ ଦୂରରୁ ଗୋଟିଏ ଝିଟିପିଟି ମୁହଁରେ କିଛି ଖାଦ୍ୟ ଧରି ଆସିବାର ଦେଖାଗଲା ୲ ସେହି ଝିଟିପିଟି ଟି ଚାରିଆଡ଼କୁ ଚାହିଁ କିଛି ସମୟ ଅପେକ୍ଷା କରି ରହିଲା ୲ ଯେତେବେଳେ ତାର ବିଶ୍ଵାସ ହୋଇଗଲା ଯେ କେହି ତା’ ଆଡ଼କୁ ଦୃଷ୍ଟି ଦେଉ ନାହାଁନ୍ତି, ଆସ୍ତେ କରି ଆଗକୁ ବଢ଼ିବାରେ ଲାଗିଲା ୲ କଣ୍ଟା ସାଙ୍ଗରେ ଅଟକି ଥିବା ଝିଟିପିଟି ର ମୁହଁ ପାଖକୁ ଆସି ଖାଦ୍ୟ ଟିକକ ତାର ମୁହଁ ରେ ଧରେଇ ଦେଲା ୲ ପୁଣି ଅପସରି ଗଲା ୲ ଆଉ କିଛି ସମୟ ପରେ ଆଉ ଖଣ୍ଡେ ଖାଦ୍ୟ ନେଇ ଆସିଲା ଓ ଝିଟିପିଟି ଟିକୁ ଖୁଆଇବା ପରେ ପଳେଇ ଗଲା ୲ ଏମିତି ଚାଲିଲା କିଛି ସମୟ। ଶେଷରେ ବୋଧହୁଏ କଣ୍ଟାରେ ଲଟକି ଥିବା ଝିଟିପିଟି ଟି ତାଙ୍କ ଭାଷାରେ କିଛି କହି ଜଣେଇଦେଲା ଯେ ତାର ଆଉ ଭୋକ ନାହିଁ ୲ ଦୁହେଁ ଦୁହିଁଙ୍କୁ ଭଲ ଭାବରେ ଛୁଇଁ ନିଜ ନିଜର ମନର ଭାବନା ବ୍ୟକ୍ତ କଲା ପରେ ପରସ୍ପର ଠାରୁ ବିଦାୟ ନେଲେ.
ଜାପାନୀ ଜଣକ ଝିଟିପିଟି ମାନଙ୍କର ଆଚରଣ ରେ ବିହ୍ଵଳିତ ହୋଇ ବସିପଡ଼ିଲା ତା’ର ଛିଡ଼ା ହୋଇ ଥିବା ସ୍ଥାନରେ ୲ ହେ ଭଗବାନ ! ଏତେ ଛୋଟ ପ୍ରାଣୀ ଟିଏ , ଜୀବନସାଥୀଟି ପାଇଁ ନିଃସ୍ଵାର୍ଥପର ଭାବରେ ପାଞ୍ଚ ବର୍ଷ ଧରି ଖାଦ୍ୟ, ପେୟ ଯୋଗାଇ ଚାଲିଛି ୲ ଥକି ପଡ଼ିନାହିଁ ୲ ମଝିରେ ମଝିରେ ହୁଏତ ଭରସା ଭାଙ୍ଗି ଯାଉଥିବ, ବିଶ୍ୱାସ ବି ଖଣ୍ଡ ବିଖଣ୍ଡିତ ହୋଇ ପଡୁଥିବ ୲ ପୁଣି ପର ମୁହୂର୍ତ୍ତରେ ନିଜକୁ ବୁଝେଇ ଦେଉଥିବ, ସାଥି ଟି ଜାଗାରେ ଯଦି ମୁଁ ହୋଇଥାନ୍ତି, ତେବେ ମତେ କଣ ସେ ଛାଡି ଚାଲି ଯାଇଥାନ୍ତା ! ହୃଦୟ ଉତ୍ତର ଦେଇଥିବ, କେବେ ନୁହେଁ. ସେ ଆଉ ପଛକୁ ଚାହିଁ ନଥିବ ୲ ବର୍ଷ ପରେବର୍ଷ ତାକୁ ଯାହା ଉଚିତ ଲାଗିଥିବ,ସେମିତି କରି ଚାଲିଥିବ ସେ ୲ ଭାବିଥିବ, ଦେହରେ ଶକ୍ତି ଥିବା ପର୍ଯ୍ୟନ୍ତ ସାଥି ଟି ପାଇଁ କାମ କରିଯିବ, ତେଣିକି ତା’ ଭାଗ୍ୟ ! ଭଗବାନ ଅଛନ୍ତି, କିଛିନା କିଛି ବ୍ଯବସ୍ଥା କରିବେନି ସେ !
ଏଥର ମଣିଷ ଜଣକ ନିଜର କାମ କଲା. ୲ ଅତି ସନ୍ତର୍ପଣ ରେ ଝିଟିପିଟି ର ପାଦରୁ କଣ୍ଟା ଟି କାଢ଼ି ନେଲା. ଝିଟିପିଟି ର ଗୋଡ଼ରୁ ଧାରେ ନାଲି ରଙ୍ଗର ରକ୍ତ ବହିଗଲା. ପାଞ୍ଚ ବର୍ଷର ବନ୍ଦୀ ଜୀବନ ଯାପନ ପରେ ଖୁସିରେ ଥରେ ଚାରିଆଡେ ବୁଲି ଆସିଲା ସେ ୲ ମଣିଷ ଟିକୁ ଅଭିଶାପ ଦେବ ନା ଆଶୀର୍ବାଦ ଏକଥା ସେ ହୁଏତ ବୁଝି ପାରୁନଥିଲା ୲ କେଉଁଠି ଥିଲା ସେ ଆଗର ଝିଟିପିଟି ଟି କେଜାଣି, ଦୌଡ଼ି ଦୌଡ଼ି ଆସି ମୁକ୍ତ ଝିଟିପିଟି କୁ ସାଥିରେ ନେଇ ଅନ୍ଧକାର ଆଡ଼କୁ ବାଟ କଢେଇ ନେଇ ଚାଲି ଗଲା ୲

ଛାର ଝିଟିପିଟି ଟି ଯଦି ଏତେ ବଡ଼ କାମ କରିପାରିଲା,ମଣିଷ ଭଳି ସୃଷ୍ଟିର ଶ୍ରେଷ୍ଠ ଜୀବ ଚାହିଁଲେ କଣ ବା କରି ନପାରେ !

ହେ ମୋର ବନ୍ଧୁ ମାନେ। ନିଜର ଜୀବନସାଥି ,ପ୍ରିୟଜନ, ଏମାନେ ଯେତେ ବଡ଼ ଅସୁବିଧା ରେ ପଡ଼ିଥିଲେ ମଧ୍ୟ କୌଣସି ପରିସ୍ଥିତିରେ ପରିତ୍ୟାଗ କର ନାହିଁ। ଏମିତିକି ଯେ କୌଣସି ମଣିଷ କୁ ବିପଦ ସମୟରେ ଛାଡ଼ି ସ୍ଵାର୍ଥ ରକ୍ଷା ପାଇଁ ପଳେଇ ଯିବା କଥା ମନକୁ ଆଣ ନାହିଁ। ବିପଦ ଦିନେ ପଳେଇ ଯିବ। ସାହାଯ୍ୟ କର୍ତ୍ତା ର ମୁହଁ ଚିରଦିନ ପାଇଁ ଲିପିବଦ୍ଧ ହୋଇ ରହିଯିବ ସାହାଯ୍ୟ ପାଇଥିବା ମଣିଷ ର ମନ ଆଉ ହୃଦୟ ଭିତରେ।

ଆଜି ହୁଏତ ତୁମେ ଭାଗ୍ୟବାନ ୲ କାଲି ଯେ ଭାଗ୍ଯଦେବୀ ପ୍ରସନ୍ନ ରହିବେ, ଏକଥା ଭାବିବା ଭୁଲ ୲
ମୁହୂର୍ତ୍ତକର ଅବହେଳା , ସାରାଜୀବନ ଧରି ହୃଦୟ ଦେଇ ଭଲ ପାଉଥିବା ମଣିଷଟିର ହୃଦୟ ଟିକୁ ଭାଙ୍ଗି ଚୂନା କରି ଦେଇପାରେ ୲

କାଚ ଭାଙ୍ଗିଲେ ଶବ୍ଦ ହୁଏ, ହୃଦୟ କିନ୍ତୁ ନିଃଶବ୍ଦରେ ଭାଙ୍ଗିପଡେ ୲ସେ କଷ୍ଟ କିନ୍ତୁ ଅସହନୀୟ,ଅବର୍ଣ୍ଣନୀୟ.

ମଣିଷ ଭଳି ମଣିଷ ହୁଅ , ପ୍ରେମ ବାଣ୍ଟି ଚାଲ ୲ ସୂଧମୂଳ ମିଶି ଦିନେ ପୃଥିବୀ ପ୍ରେମମୟ ହୋଇ ଉଠିବ ୲

Leave a Reply