Odia Gapa |Odia Short Story | Odia Story| ଓଡିଆ ଗପ | Coronavirus Odia Story & Gapa

ମଙ୍ଗୁଳି ସ୍ୱାମୀ ପରିତ୍ୟକ୍ତା ସ୍ତ୍ରୀ ଲୋକଟିଏ।ଅନିମେଶ ଏହି ଘରଟି ତୋଳିଲାବେଳେ ସେ ମୁଲିଆଣି ଭାବେ ଆସିଥିଲା କାମ କରିବା ପାଇଁ।ଘର ତିଆରି ସରିଲା ପରେ କଣ୍ଟ୍ରାକ୍ଟର , ମୂଲିଆ, ମଜୁରିଆ ସବୁ ଯିଏ ଯାହା ବାଟରେ ଚାଲିଗଲେ। କିନ୍ତୁ ମଙ୍ଗୁଳି ଶୁଭ୍ରା ପାଖରେ ହାତଗୋଡ଼ ଯୋଡି ନେହୁରା ହୋଇ ଯୋଗାଡ଼ କରି ନେଇଥିଲା ତା ପାଇଁ ଏହି ଆଶ୍ରୟ ସ୍ଥଳୀ ଖଣ୍ଡିକ। ଶୁଭ୍ରା ଘରର ପଛ ପଟକୁ ଲାଗିକି ଥିବା ଆଉଟହାଉସରେ ରହି ଯାଇଥିଲା ତାର ଦୁଇ ପୁଅଙ୍କୁ ଧରି।
ମଙ୍ଗୁଳି ଦୁଇ ଚାରିଟା ବାବୁଘରେ ରୋଷେଇବାସ କାମ ଧରିଥିଲା। ଶୁଭ୍ରା ବି ବେଳେବେଳେ ତାକୁ ବଗିଚା କାମରେ ସାହାଯ୍ୟ କରିବା ପାଇଁ କୁହେ। ଏମିତି ସୁଖେଦୁଃଖେ ତା ସଂସାର କୁ ଚଳେଇ ନିଏ ମଙ୍ଗୁଳି।
କିନ୍ତୁ ଏ କରୋନା ଲକ୍ ଡାଉନ୍ ପରଠାରୁ ମଙ୍ଗୁଳିର ହାତଗୋଡ଼ ବନ୍ଦ। ମୁଲ ମଜୁରୀ କିଛି ମିଳୁନି ଆଉ ଯୋଉ ବାବୁଘରେ କାମ କରୁଥିଲା ସେମାନେ ବି ମନା କରିଦେଇଛନ୍ତି ତାକୁ ଏବେ ତାଙ୍କ ଘରକୁ ଯିବା ପାଇଁ।ରୋଜଗାର ଶୁନ୍ ଆଉ ଖାଇବା ପାଇଁ ତିନି ତିନିଟା ପେଟ। କୋଉଠୁ ଆଣିବ ସେ ? ଅଳ୍ପ ଅଳ୍ପ କରି ସଞ୍ଚିଥିଲା କିଛି ପଇସା …ସେ ବି ସରିବାକୁ ବସିଲାଣି।ଛୁଆ ଦୁଇଟାଙ୍କୁ ଆହାର ଦବ ସେ କେମିତି ??
ଅଗତ୍ୟା ବାଧ୍ୟ ହୋଇ ଦିନେ ଶୁଭ୍ରା ପାଖରେ ଗୋଡ଼ ଭାଙ୍ଗି ଠିଆ ହେଲା ମଙ୍ଗୁଳି। କହିଲା , ” ମା’ ଏବେକାର ଅବସ୍ଥା ତ ଦେଖୁଛ ତୁମେ।କାମଧନ୍ଦା କିଛି ନାହିଁ।ମୁଲ ମଜୁରୀ କିଛି ମିଳୁନି ଏବେ। ବାବୁଘର ମାନେ ବି ବାହାର କରିଦେଇଛନ୍ତି ମୋତେ କାମରୁ। କହିଛନ୍ତି ଦରକାର ହେଲେ ଖବର ଦେବେ।ଏ ଅସମୟରେ ମୋତେ ଟିକେ ସାହାଯ୍ୟ କର ମା’ ।ତୁମ ଘରେ ସବୁ କାମ କରିଦେବି ମୁଁ। ମୋତେ ଆଉ ମୋ ଛୁଆଙ୍କୁ ଖାଲି ଦିନକୁ ବେଳାଏ ପେଟପୁରା ଖାଇବା ପାଇଁ ଦବ ମା’।ଏତିକି ଦୟାକର ମୋତେ ଏ ଅସୁବିଧା ସମୟରେ।
ଶୁଭ୍ରା କିଛି କହିବା ଆଗରୁ ମଙ୍ଗୁଳିର କଥା ଶୁଣି ଚିହିଁକି ଉଠିଲେ ଅନିମେଶ।
_ ନା ….ନା …. ହେଇ ପାରିବନି ସେମିତି। ମୁଁ ତୋତେ ଘରେ ପୁରେଇ ପାରିବିନି ଏ ସମୟରେ। ସରକାର କହିଛନ୍ତି ସୋସିଆଲ ଡିଷ୍ଟାନ୍ସ ମେଣ୍ଟେନ କରିବା ପାଇଁ।ତୁ କେତେ କୁଆଡେ ବାହାରକୁ ଯାଉଥିଲୁ କାମ କରିବା ପାଇଁ।ମୁଁ କେମିତି ଏବେ ତୋତେ ମୋ ଘରେ କାମ କରିବାକୁ ଅନୁମତି ଦେଇଦେବି ? ନା …. ନା …. ତୋ ବ୍ୟବସ୍ଥା ତୁ କର । ହଁ … ଯଦି ନିହାତି ପଇସାପତ୍ର ଦରକାର ହୁଏ ତାହେଲେ ତୁ ଶୁଭ୍ରା କୁ ମାଗିପାରୁ। ଏହାଠାରୁ ଅଧିକା ସାହାଯ୍ୟ ମୁଁ ତୋତେ ଆଉ କିଛି କରିପାରିବିନି।
ଅନିମେଶଙ୍କର ଏ କେତୋଟି ବାକ୍ୟ ମଙ୍ଗୁଳିର ସ୍ୱାଭିମାନକୁ ଖୁବ ଆଘାତ ଦେଇଥିଲା। କେତେଦିନ ସେ ମାଗିକି ଖାଇବ ଶୁଭ୍ରା ଠାରୁ ? ରାତି ପାହିଲେ ସେ କ’ଣ ଶୁଭ୍ରା ପାଖରେ ହାତ ପତେଇବ ତା ପେଟ ଚାଖଣ୍ଡକ ପାଇଁ। କେତେଦିନ ଏମିତି ହାତ ପତେଇ ପାରିବ ସେ ?? ନା … ସେ ଭୋକରେ ମରିଯିବ ପଛେ କିନ୍ତୁ ଭିକାରୁଣୀ ସାଜିବନି। କିନ୍ତୁ ପିଲା ଦିଟା …..
ଶୁଭ୍ରା ବି ଆହତ ହୋଇଥିଲା ଅନିମେଶଙ୍କର କଥାରେ। ଘରୁ କିଛି ଖାଇବା ଜିନିଷ ନେଇ ଯାଇଥିଲା ମଙ୍ଗୁଳି ପାଖକୁ। ଦେଖିଲା ତା ପିଲା ଦୁଇଟା ପାଣିରେ ମୁଢି ଭିଜେଇ ଖାଉଛନ୍ତି ଦିନ ଦିପହର ଟାରେ। ବିଚାରୀ ର ଚାଉଳ ସରି ଯାଇଛି ବୋଧେ।କିନ୍ତୁ ସେ ମୁଁହ ଖୋଲି ମାଗି ପାରିନି ତାକୁ। ଦୋଷୀ ଦୋଷୀ ଲାଗୁଥିଲା ଶୁଭ୍ରାକୁ । ଗୁମସୁମ ହୋଇ ସେ ବସିଲା ଯାଇ ବଗିଚାର ଚେୟାରରେ। ନଜର ବିସ୍ତାରି ନିରୀକ୍ଷଣ କଲା ” ଶୁଭ୍ରା ମାନସନ୍ ” ର ବିରାଟ ବଗିଚାକୁ । ତା ବଗିଚାର ପିଜୁଳି ଗଛରେ ହଳଦୀବସନ୍ତ ଟିଏ ବସି ଦରପାଚିଲା ପିଜୁଳି ଟିଏକୁ ଖୁମ୍ପି ଖୁମ୍ପି ଖାଉଛି।ବଗିଚାର ପାଚେରୀ ଉପରେ ଆଜି ସକାଳେ ସେ କିଛି ଦାନା ଥୋଇଥିଲା ପାରା ମାନଙ୍କ ପାଇଁ। ପାରାମାନେ ଖାଇବା ପରେ ବଳିଥିବା ଦାନାକୁ ଖୁଣ୍ଟି ଖୁଣ୍ଟି ଖାଉଛନ୍ତି କୁଣ୍ଡାଖିଆ ଚଢେଇ ଦି ଟା। ଗୋଲାପ ଗଛର କୁଣ୍ଡ ପାଖରେ ଗୁଣ୍ଡୁଚି ମୂଷାଟିଏ ତାର କୁନିକୁନି ଆଗ ଗୋଡ଼ ଦୁଇଟିରେ ମାଟି ଖୋଳିବାରେ ଲାଗିଛି ଏକଡ଼ ସେକଡ଼ କୁ ଚାହିଁ ଚାହିଁ।କିଛି କୋଳି କି ମଞ୍ଜି କୋଉଠୁ ଆଣି ପୋତିଥିଲା ବୋଧେ ସେଠି …. ଖୋଜୁଛି ଏବେ। ପୋଷା କୁକୁର ଟମି ପେଟେ ପେଡିଗ୍ରୀ ଖାଇ ପେଟ ଦେଖେଇ ଶୋଇଛି ତା ଗୋଡ଼ ପାଖରେ । ଟମିର ଅଇଁଠା ଥାଳିରେ ଲାଗିଥିବା ଛୋଟ ଛୋଟ ଖାଦ୍ୟ କଣିକାକୁ ବୋହିବାରେ ଲାଗିଛନ୍ତି ଧାଡିଏ ନାଲି ପିମ୍ପୁଡି। ବାହାରେ ଥୁଆ ହୋଇଥିବା ମଇଳା ବାଲ୍ଟି ଉପରେ କାଉଟିଏ ବସି କିଛି ଗୋଟେ ଖାଉଛି ଥଣ୍ଟରେ ଆଡେଇ ଆଡେଇ।ତା ଆଖି ଆଗରେ ପଡୁଥିବା ପକ୍ଷୀଠାରୁ କୀଟ ପତଙ୍ଗ ଯାଏ ସମସ୍ତେ ଯିଏ ଯାହା ପେଟ ଭରିବାରେ ବ୍ୟସ୍ତ। କିନ୍ତୁ ତା ଆଉଟହାଉସ ରେ ରହୁଥିବା ତିନୋଟି ପେଟ ଭୋକିଲା କାହିଁକି ? ସାମାଜିକ ଦୂରତ୍ୱ ରକ୍ଷାକରିବାର ଅର୍ଥ କ’ଣ ଜଣେ ଅସହାୟର ଅସହାୟତାକୁ କେବଳ ଦୂରରେ ରହି ଦେଖିବା ?

ସକାଳୁ ସକାଳୁ ବସି ଖବରକାଗଜରୁ କରୋନା ଅପଡେଟସ୍ ଦେଖୁଥିଲେ ଅନିମେଶ।ହଠାତ ବାଥରୁମରୁ ଶୁଭିଲା ଦୁମ୍ ଭୁସ୍ କିଛି ପଡିବାର ଶବ୍ଦ।ଡ୍ରଇଂରୁମରୁ ଧାଇଁ ଆସିଲେ ଅନିମେଶ ଖବରକାଗଜଟାକୁ ଟିପୟ ଉପରେ ଫୋପାଡ଼ି ଦେଇ।
_ କ’ଣ ହେଲା ଶୁଭ୍ରା ?? ….କବାଟ ଖୋଲ ଜଲଦି ….
_ ହଁ ….ହଁ ….. ଖୋଲୁଛି…..
ଧୀରେ କବାଟ ଖୋଲି ବାହାରକୁ ଆସିଲା ଶୁଭ୍ରା।ଏକ ଯନ୍ତ୍ରଣାସିକ୍ତ ଚାହାଣୀରେ ଚାହିଁଲା ଅନିମେଶଙ୍କୁ।
_ କ’ଣ ହେଲା ? ପଡିଗଲ କି ବାଥରୁମ ଭିତରେ??
_ ହଁ…. ଗୋଡ଼ ଖସିଗଲା ମୋର ….
_ କିଛି ହେଇନି ତ …….?
_ ନା …. ସେମିତି ବିଶେଷ କିଛି ହେଇନି …..କିନ୍ତୁ ଡାହାଣ ହାତଟା ମାଡ଼ ହୋଇଗଲା ଟିକେ କହୁଣୀ ପାଖରୁ।
_ ଓଃ…..ନୋ …..କି ପିଲା ତୁମେ ? ଦେଖିକି କିଛି କାମ କରି ପାରୁନ ?? କ’ଣ କରିବ ଏବେ ??? ସବୁବେଳେ କେୟାରଲେସ। ଏବେ ଯଦି କିଛି ବଡ଼ ଦୁର୍ଘଟଣା ହୋଇ ଯାଇଥାନ୍ତା ? କେତେ ହଇରାଣ ହେବାକୁ ପଡ଼ିଥାନ୍ତା ଜାଣିଛ ଏ କରୋନା ଟାଇମରେ।
_ ଓଃ ….ହୋ …. କିଛି ତ ହେଇନି ନା …. ।ତୁମର ସବୁବେଳେ ଏ ଆଡ଼ଭାନ୍ସ ଚିନ୍ତାଧାରା କାହିଁକି ?
_ ତୁମର ସେତିକି ନାହିଁ ବୋଲି ତୁମେ ସବୁବେଳେ କେୟାରଲେସ। ହଉ ଛାଡ଼ …. ଯାହା ହେବାର ହେଲାଣି …. ପେନ୍ ରିଲିଫ ସ୍ପ୍ରେ ଟା କୋଉଠି ଅଛି ଦିଅ ମୁଁ ସ୍ପ୍ରେ କରିଦେବି ତୁମ ହାତରେ।
ସେ ଦିନଯାକ ଯନ୍ତ୍ରଣାରେ ଛଟପଟ ହେଲା ଶୁଭ୍ରା ହାତରେ କ୍ରେପ୍ ବ୍ୟାଣ୍ଡେଜ ଟିଏ ଗୁଡେଇ।ସନ୍ଧ୍ୟା ବେଳକୁ ଅନିମେଶ କହିଲେ , ” ତୁମେ କିଛି ଦିନ ଏବେ ରେଷ୍ଟ ନିଅ ଟିକେ। ନହେଲେ ହାତରେ ପ୍ରେସର ପଡିବ ଆଉ ବେଶୀ ଯନ୍ତ୍ରଣା ବି ହେବ ।ମଙ୍ଗୁଳି କୁ କୁହ ସେ କାଲି ଠାରୁ ଆସି ସବୁ ଘରକାମ ଆଉ ରୋଷେଇବାସ କରି ଦେଇ ଯାଉ। ଏବେ ଯେଉଁ ପରିସ୍ଥିତି ଚାଲିଛି ସରକାର କହିଛନ୍ତି ସୋସିଆଲ ଡିଷ୍ଟାନ୍ସ ମେଣ୍ଟେନ କରିବା ପାଇଁ।ଆମକୁ ତ ଏ ସବୁ ମାନିକି ଚଳିବାକୁ ପଡିବ ନା। ସେଥିପାଇଁ ତୁମେ ଯେତେ କହିଲେ ବି ମୁଁ ତାକୁ ଆରମ୍ଭରୁ ହିଁ ଘରେ ପୁରେଇବା ପାଇଁ ରାଜି ନ ଥିଲି କିନ୍ତୁ ଏବେ ତ ଆଉ କିଛି ଉପାୟ ନାହିଁ । ଛାଡ….ତୁମ ହାତ ବି ତ ଖରାପ ନା ….। ମଙ୍ଗୁଳିକୁ ବୁଝେଇକି କହିଦେବ ସେ ଯେତିକି ଦିନ ଆମ ଘରେ କାମ କରିବ ସେତିକି ଦିନ ଯେମିତି ଘରୁ ପଦାକୁ ବି ଗୋଡ଼ ନ କାଢେ ।ପରିଷ୍କାର ପରିଚ୍ଛନ୍ନ ହୋଇ ଆସି ଆମ ଘରେ କାମ କରିବ ଆଉ ସେଇ ଆଉଟହାଉସ ରେ ହିଁ ରହିବ। ସେ ଆଉ ତା ପିଲାମାନେ ବି କିଛି ଦିନ ଖାଇ ଦିଅନ୍ତୁ ଏଠି ଆମ ଘରେ।ନହଲେ ତା ପାଇଁ ପୁଣି ଆମେ ହଇରାଣ ହୋଇ ଯିବା ଯେ…..”।
ଶୁଭ୍ରା କହିଲା , ” ତୁମେ କିଛି ବ୍ୟସ୍ତ ହେବା ଦରକାର ନାହିଁ। ମୁଁ ମଙ୍ଗୁଳିକୁ ବୁଝେଇକି କହିଦେବି।”

ସନ୍ଧ୍ୟାବେଳେ ହାତରେ କ୍ରେପ ବ୍ୟାଣ୍ଡେଜଟିଏ ଗୁଡେଇ ଶୁଭ୍ରା ଗଲା ତା ଘର ପଛପଟ ଆଉଟହାଉସ କୁ। ଶୁଭ୍ରାକୁ ଏମିତି ଅବସ୍ଥାରେ ଦେଖି ବ୍ୟସ୍ତ ହୋଇପଡିଲା ମଙ୍ଗୁଳି।
_ ତୁମର ଏ ସବୁ କେମିତି ହେଲା ମା’ ?
_ ଆରେ …. ନା …. ସେମିତି ବେଶୀ କିଛି ହେଇନି। ଆଜି ସକାଳେ ବାଥରୁମରେ ପଡ଼ିଗଲି ତ ହାତଟା ଟିକେ ମାଡ଼ ହୋଇଗଲା। ଦରଜ ବି ହୋଇଛି ବହୁତ। କିଛି ଦିନ ଟିକେ ତୋ ସାହାଯ୍ୟ ଦରକାର ମୋତେ। କାଲିଠାରୁ ଘରକାମ ଆଉ ରୋଷେଇବାସ ଦାୟିତ୍ୱ ତୋର।
_ ହଁ …ଯେ …..କିନ୍ତୁ ବାବୁ ରାଗିବେ ….
_ ନା …. ନା …. ସେ ରାଗିବେନି। ସେ ହିଁ କହିଲେ ତୋର ସାହାଯ୍ୟ ନେବା ପାଇଁ। ବାବୁ ପୁରା ତାଗିଦ କରି କହିଛନ୍ତି ତୋତେ । କାଲି ଠାରୁ ତୁ ଆମ ପାଇଁ ରାନ୍ଧି ଦେବୁ। ତୁ ଆଉ ତୋ ପିଲାମାନେ ବି ସେଇଠି ଖାଇନେବ। ତୁ ଏ କିଛି ଦିନ ଗେଟ ଡେଇଁ କୁଆଡେ ବାହାରକୁ ଯିବା ଦରକାର ନାହିଁ।
ନିଜକୁ ବିଶ୍ୱାସ କରି ପାରୁ ନଥିଲା ମଙ୍ଗୁଳି। ସତରେ କ’ଣ ଭଗବାନ ତା ପିଲା ଦୁଇଟାଙ୍କର ପେଟକୁ ଦୟା କଲେ !! ଖୁସି ଆଉ କୃତଜ୍ଞତାରେ ଗଦଗଦ ହୋଇ ଉଠିଲା ମଙ୍ଗୁଳି।
ତା ପରଦିନ ଠାରୁ ମନଦେଇ କାମରେ ଲାଗିପଡ଼ିଲା ସେ ଶୁଭ୍ରା ଘରେ।ସେମାନଙ୍କ ପାଇଁ ରାନ୍ଧିଦିଏ ।ନିଜ ପାଇଁ ଆଉ ତା ପିଲାମାନଙ୍କ ପାଇଁ କିଛି ଖାଇବା ଘରକୁ ନେଇ ଆସେ।ଶୁଭ୍ରା ବି ବେଳେବେଳେ ପିଲାମାନଙ୍କ ପାଇଁ ବିସ୍କୁଟ, କେକ୍, ଫଳ କିଛି କିଛି ଦେଇଦିଏ ଖୁସିରେ।
ଏବେ ଆଉ ଦୁଃଖ ନାହିଁ ମଙ୍ଗୁଳିର। ଶୁଭ୍ରା ଯାହାଦିଏ ଖୁସିରେ ଗ୍ରହଣ କରେ ସେ । କାରଣ ସେ ତ ଖଟୁଛି ଆଉ ଖାଉଛି।ମାଗଣାରେ ଯଦି ଶୁଭ୍ରା ଦୟାରେ ପେଟ ପୋଷିଥାନ୍ତା ଆଉ ସବୁଦିନେ ଶୁଭ୍ରାର ହାତଟେକା କୁ ଚାହିଁକି ବସିଥାନ୍ତା ତାହେଲେ ତା ସ୍ୱାଭିମାନରେ ଆଞ୍ଚ ଆସିଥାନ୍ତା ନିଶ୍ଚୟ।
ଦିନେ ସନ୍ଧ୍ୟାବେଳେ ମଙ୍ଗୁଳି କହିଲା ଶୁଭ୍ରାକୁ…
_ ମା’ …. ବାବୁ ସବୁଦିନେ କହୁଛନ୍ତି ତୁମକୁ ହାତରେ ଗରମ ପାଣି ସେକ ଦେବା ପାଇଁ। କିନ୍ତୁ କେବେ ତ ଦଉନ ତୁମେ। ଆଜି ମୁଁ ତୁମ ହାତରେ ଗରମ ପାଣି ସେକ ଦେଇଦେବି।
_ ଆରେ …. ନା …କିଛି ଦରକାର ନାହିଁ। କ’ଣ ପାଇଁ ମା’ …. ମୁଁ କଣ ତୁମର ଏତିକି ସେବା କରି ପାରିବିନି।
ରୋଷେଇ ଘରକୁ ଗଲା ମଙ୍ଗୁଳି। ଆଉ ଗରମ ପାଣି କରି ଆଣି ବସି ପଡ଼ିଲା ଶୁଭ୍ରା ପାଖରେ ସେକ ଦେବା ପାଇଁ।
_ ମୋର କିଛି ହେଇନି ମଙ୍ଗୁଳି ….ତୁ ଯାଆ ତୋ କାମ କର। ନା … ମା’ … ତୁମେ ମିଛ କହୁଛ।
__ ଆରେ …. ସତ କହୁଛି ମୁଁ। ଦେଖେ ମୋ ହାତ …..ପୁରା ଠିକ ଅଛି କହି କ୍ରେପ ବ୍ୟାଣ୍ଡେଜଟିକୁ ଖୋଲିଦେଲା ଶୁଭ୍ରା ଆଉ ଆରାମରେ ହାତକୁ ଏପଟ ସେପଟ କରି ବୁଲେଇଲା ମଙ୍ଗୁଳିକୁ ଦେଖେଇବା ପାଇଁ।
ଆଶ୍ଚର୍ଯ୍ୟ ହୋଇଗଲା ମଙ୍ଗୁଳି। ଘଟଣା କ’ଣ କିଛି ବୁଝି ପାରିଲାନି ସେ। ବଲବଲ କରି ଚାହିଁଲା ଶୁଭ୍ରା ମୁଁହକୁ।
ଶୁଭ୍ରା ଖାଲି ଟିକେ ହସି ଦେଲା ଆଉ କହିଲା , ” ଏ ଅସମୟରେ ଗୋଟେ ମଣିଷ ହିସାବରେ ଆଉ ଗୋଟେ ମଣିଷକୁ ମୁଁ କ’ଣ ଏତିକି ସାହାଯ୍ୟ କରି ପାରିବିନି ? ଦରକାର ପଡ଼ିଲେ ଏମିତି ହଜାରେ ମିଛ ମୁଁ କହିପାରିବି ମଙ୍ଗୁଳି କିନ୍ତୁ ସୋସିଆଲ ଡିଷ୍ଟାନ୍ସ ର ଦ୍ୱାହି ଦେଇ ମାନବିକତା ର ତଣ୍ଟି ଚିପି ପାରିବିନି।”

Leave a Reply