Odia Gapa । Coronavirus Odia Story & Gapa | Lockdown Odia Story | Odia Short Story | Odia Story| ଓଡିଆ ଗପ | Odia Love Story

ଆଠ ଲକ୍ଷ ପ୍ୟାକେଜରେ ଜଏନ କଲା ମୋ ପୁଅ।ସଫ୍ଟୱେର କମ୍ପାନୀରେ ଚାକିରୀ।”
ସେଦିନ ସମସ୍ତଙ୍କ ଆଗରେ ପୁଅ ଟୁକୁ’ର ଚାକିରୀ ପାଇବା କଥା କହି ମିଠା ବାଣ୍ଟିଲା ବେଳେ ଗର୍ବରେ ଫାଟି ପଡୁଥିଲେ ଶୁଭେନ୍ଦୁ।ଖୁସିରେ ତାଙ୍କ ପାଦ ତଳେ ଲାଗୁନଥିଲା।
କିଛି ବନ୍ଧୁ ଖୁସି ହୋଇ କହିଥିଲେ,”ହଇରେ ତୁ ଜଏନ କଲାବେଳେ ବର୍ଷକୁ ଯେତିକି ପାଇଥିଲୁ,ତୋ ପୁଅ ଜଏନ କରୁ କରୁ ମାସକୁ ତାଠାରୁ ଅଧିକ ପାଇବ।ମିଠାରେ କାମ ଚଳିବନି,ଭୋଜି ଦେବାକୁ ପଡିବ।”
ଆଉ କେତେକ ଅସହିଷ୍ଣୁ କହିଥିଲେ,

ମୋ ପୁଅ ପା ବାର ଲକ୍ଷ ପାଉଛି।ଫ୍ଲାଟ,ଗାଡି ସବୁ କିଣି ସାରିଲାଣି।”
ଆଉ କିଏ କହୁଥିଲା,
-ସଫ୍ଟୱେର ଚାକିରୀ ,ଆଜି ଅଛି କାଲି ନାହିଁ।ତାଛଡା ଅନେକ ପିଲା ତ ପ୍ରୋଜେକ୍ଟ ନାଁ ରେ ବିଦେଶ ଯାଇ ସେଇଠି ରହିଯାଉଛନ୍ତି,ଆମେ ବୁଢ଼ା ବୁଢ଼ୀ ଏଠି ଘର ଜଗୁଆଳୀ ହୋଇ ପଡି ରହୁଛୁ।ବାପା ମା ମଲାପରେ ବାସି ମଡ଼ା ହୋଇ ପଡ଼ିରହୁଛନ୍ତି ବରଫ ଥାକରେ ତ ଆଉ କେଉଁଠି ଚିହ୍ନାଜଣା ମୁଖାଗ୍ନି ଦେଉଛନ୍ତି।ତେଣୁ ହୁସିଆରି।”
ସେଦିନ ଚମକି ପଡ଼ିଥିଲେ ଶୁଭେନ୍ଦୁ।ଭାବୁଥିଲେ ପୁଅର ପ୍ୟାକେଜ ପାଇଁ ନିନ୍ଦୁକମାନେ ସହି ନପାରି ଏସବୁ କହୁଛନ୍ତି।
ନିମ୍ନ ମଧ୍ୟବିତ୍ତ ପରିବାରରେ ଜୀବନରେ ଅନେକ ସଂଘର୍ଷ କରି ପିଲାଙ୍କୁ ବଡ଼ କରିବାକୁ ହୁଏ।ସେମାନଙ୍କୁ ନେଇ ଜୀବନ।ତେବେ ପିଲା ଯଦି ଅମଣିଷ ହେଲା ତାହା ଦୁର୍ଭାଗ୍ୟ।ସବୁ ବାପା ମା ତ ନିଜ ପିଲାଙ୍କୁ ସଂସ୍କାର ଦେଇଥାନ୍ତି,ଭଲ ମଣିଷ ଟିଏ ଗଢିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥାନ୍ତି।ଟୁକୁ କଣ ସତରେ ଭଲ ମଣିଷ ଟେ ହେଲା !!!
ଦୀର୍ଘ ନିଶ୍ବାସ ନେଲେ ଶୁଭେନ୍ଦୁ।
ଅନେକ ବର୍ଷ ବିତିଗଲାଣି ୟା ଭିତରେ।ଦୁନିଆ ପୁରା ବଦଳି ଯାଇଛି ଶୁଭେନ୍ଦୁଙ୍କ ପାଇଁ।ତେବେ ଗୋଟିଏ କଥା ଆଜି ବି ସମାନ ଥିଲା।ସେଦିନ ଓ ଆଜି ବି ସେଇ ପ୍ୟାକେଜ କଥା।ଆଜିକାଲି ଦୁନିଆଟା କାଳେ ପ୍ୟାକେଜ’ର ଦୁନିଆ।ସବୁଜିନିଷ ମିଶି ଏକାଠି।କିଛି ଖୋଜିବାକୁ ପଡିବନି।
ଇଣ୍ଟରନେଟରୁ ଫୋନ ନମ୍ବର ବାହାର କରି, ସେବା ଯୋଗାଉଥିବା ସେଇ ସଂସ୍ଥାର ଜଣେ ମାର୍କେଟିଙ୍ଗ କର୍ମଚାରୀ ଙ୍କ ସହ କଥା ହେଉଥିଲେ ଶୁଭେନ୍ଦୁ ବାବୁ।
-ସାର୍, ଆପଣଙ୍କ ଠିକଣା ଟା କୁହନ୍ତୁ।ମୁଁ ନିଜେ ପହଞ୍ଚି ଆମ କମ୍ପାନୀ ପ୍ୟାକେଜ ବିଷୟରେ ସବୁ ପ୍ରାଞ୍ଜଳ ଭାବେ ବୁଝାଇ ଦେବି।ଆପଣଙ୍କର ଇଛା ଅନୁଯାୟୀ ଆପଣ ପ୍ୟାକେଜ ବାଛି ପାରିବେ।ଆକର୍ଷଣୀୟ ଅଫର ବି ଅଛି।”

କିଛି ଡିସକାଉଣ୍ଟ ଦେବେନି ?”

ସାର୍,ଡିସକାଉଣ୍ଟ ବଦଳରେ
ଆଜିକାଲି ସମସ୍ତେ ପ୍ୟାକେଜ ଖୋଜୁଛନ୍ତି।କଷ୍ଟମର କୁ କିଛି ଖୋଜିବାକୁ ପଡିବନି।ଆପଣ ଠିକଣା ଦିଅନ୍ତୁ।ଇରେଜିଷ୍ଟିବଲ ,
ଧମାକାଦାର ଅଫର ଦେବି।”
ଠିକଣା ବତାଇ ଫୋନ ରଖି ଚିନ୍ତାରେ ବୁଡିଗଲେ ଶୁଭେନ୍ଦୁ।କି ଧମାକାଦାର ଅଫର ଦେବ ?ଏଇ କିଛିଦିନ ହେଲାଣି ଭିତରେ ଭିତରେ ଭାରି ବ୍ୟସ୍ତ ଓ ବିବ୍ରତ ହୋଇପଡିଥିଲେ ସେ।
ଓଃ,କେମିତି ଗୋଟେ ଏକଦମ ଅଣନିଶ୍ବାସୀ ଭାବ।
କିଏ ଯେମିତି ଗଳାକୁ ଚାପି ଧରୁଛି।ମଝିରେ ମଝିରେ ଦେହ ହାତ ଥରୁଛି,ମୁଣ୍ଡ ବୁଲାଇଦେଲା ଭଳି ଲାଗୁଛି।ସୁଗାର,ବିପି,ଭର୍ଟିଗୋ ବେମାରି ଥିଲା,ଏବେ ପୁଣି ସୋଡିୟମ କମିଯାଉଛି ଶରୀରରୁ।କିଛି ଅଘଟଣ ଘଟିବନି ତ ?କେଜାଣି ?ଏବେ ଯେଉଁ ପରିସ୍ଥିତି ଜୀବନର କି ଭରସା ?ନିଜ ମନକଥା କାହାକୁ କହିବେ ସେ ?
-କାହା ସହ କଥା ହେଉଥିଲ ?ଲେମ୍ଭୁ ସର୍ଵତ ଟିକେ ପିଇବ ?”
ସୁଜାତାଙ୍କ କଥା ଶୁଣି ନିରବରେ ଟିକେ ହସିଦେଲେ ଶୁଭେନ୍ଦୁ।କଣ ବା ଉତ୍ତର ଦେବେ ସେ ?
ଲେମ୍ବୁ ସର୍ବତ ସ୍ବାମୀଙ୍କ ହାତକୁ ବଢ଼ାଇଦେଇ ନିଜ କଥା ଦୋହରାଇଲେ ସୁଜାତା।

କେଉଁ ପ୍ୟାକେଜ ବିଷୟରେ କଥା ହେଉଥିଲ ତମେ ?”
ଚମକି ପଡିଲେ ଶୁଭେନ୍ଦୁ।ତଣ୍ଟିରେ ଲାଗିଲା ସର୍ଵତ।ସୁଜାତା ଶୁଣିଛନ୍ତି ?କଥା ବୁଲାଇବାକୁ କହିଲେ,

ଆଜିକାଲି ଛୁଆ ଜନ୍ମହେଲା ପୂର୍ବରୁ ବାପା ମା ଙ୍କୁ ହସ୍ପିଟାଲ ବାଲା ଡେଲିଭରି ପ୍ୟାକେଜ ରେଟ ବତାଇଦେଉଛନ୍ତି। ସ୍କୁଲ ଆଡ଼ମିସନ ପାଇଁ ପୁଣି ପ୍ୟାକେଜ।ୟୁ କେଜିରେ କମ୍ପ୍ୟୁଟର ଓ ପଞ୍ଚମରୁ ଆଇଆଇଟି ତଥା ସ୍ପୋକନ ଇଂଲିଶ କ୍ଲାସ ପାଇଁ କୋଚିଙ୍ଗ ଦେବେ ବୋଲି କହି ଦାମୀ ପ୍ୟାକେଜ କହି ଟଙ୍କା ଝଡାଉଛନ୍ତି।କଲେଜ ଆଡ଼ମିସନ ବେଳେ କୋଚିଙ୍ଗ,ଟିଉସନ ପ୍ୟାକେଜ ମିଶାଇ ରେଟ କହୁଛନ୍ତି।ବାହାଘର ବେଳେ ବି
ଇଭେଣ୍ଟ ମ୍ୟାନେଜମେଣ୍ଟ ଗ୍ରୁପ ପ୍ୟାକେଜ ରେଟ କହୁଛନ୍ତି।କଲ୍ୟାଣ ମଣ୍ଡପ ଠାରୁ ଝିଅ ବିଦା,ଭୋଜି,ଫଟ ଉଠା ସବୁ ସେ ବୁଝିବେ।ତମେ ଖାଲି ବର କନିଆ ନେଇକି ଆସ।କୁଆଡେ ବୁଲିବାକୁ ଗଲେ ଡେ ନାଇଟ ପ୍ୟାକେଜ।ସବୁ ଆଡ଼େ ଖାଲି ପ୍ୟାକେଜ,ପ୍ୟାକେଜ।”

ତମେ କେଉଁ ପ୍ୟାକେଜ କଥା କାହା ସହ କହୁଥିଲ ସେକଥା ମୋତେ ନ କହି ଏସବୁ କାହିଁକି ଶୁଣାଉଛ ?”
ଏତିକିବେଳେ ବନ୍ଧୁ ବିଦ୍ୟାଧର ବାବୁ ଘର ଭିତରକୁ ଆସି ପଚାରିଲେ,

ବୁଢ଼ା ବୁଢ଼ୀ ଙ୍କର କି ପ୍ୟାକେଜ କଥା ପଡିଛି ?ହନିମୁନ ପ୍ୟାକେଜ ନୁହେଁ ତ ?’
ସୁଜାତା ଲେମ୍ବୁ ସର୍ଵତ ଗ୍ଲାସେ ବିଦ୍ୟାଧର ବାବୁଙ୍କ ହାତକୁ ବଢ଼ାଇଦେଇ କହିଲେ,

ୟାଙ୍କୁ ଡାକ୍ତର କହିଛି ଷ୍ଟେଣ୍ଟ ଲଗାଇବା ପାଇଁ।ହାର୍ଟରେ ବ୍ଳକେଜ ଅଛି।ହେଲେ ଇୟେ କଣ ଶୁଣୁଛନ୍ତି ?କହୁଛନ୍ତି ଔଷଧ ଖାଇ ଭଲ ହୋଇଯିବ।ଆରପଟ ସାହିର ମନୋଜ ବାବୁ ହେଳା କଲେ ବୋଲି ଷ୍ଟ୍ରୋକରେ ଚାଲିଗଲେ।’
ଟିକେ ଚମକି ପଡିଲେ ବିଦ୍ୟାଧର ବାବୁ।

ଜମାରୁ ବ୍ୟସ୍ତ ହଅନା।ହାର୍ଟରେ ଷ୍ଟେଣ୍ଟ ଲଗାଇବାକୁ ଅନେକ ହସ୍ପିଟାଲରେ ଭଲ ପ୍ୟାକେଜ ଅଛି।ତିନି,ଚାରି ଲକ୍ଷ ଭିତରେ ପଡିବ।ମୁଁ ଯେଉଁ ହସ୍ପିଟାଲରେ ……
ତାଙ୍କ କଥାକୁ ଅଧାରେ ରଖି ଶୁଭେନ୍ଦୁ ବାବୁ କହିଲେ,

କ୍ୟାପିଟାଲ ହସ୍ପିଟାଲ ନହେଲେ ଏମ୍ସ ରେ ଶସ୍ତାରେ ହେବ।ତାଛଡା ଷ୍ଟେଣ୍ଟ ଲାଗିଲେ ସାରା ଜୀବନ ମେଞ୍ଚାଏ ଲେଖାଏଁ ଔଷଧ ଖାଇବାକୁ ପଡିବ ସବୁଦିନ ।ଏତେ ଟଙ୍କା କେଉଁଠୁ ଆସିବ?ହେଲଥ ଇନ୍ସୟୁରାନ୍ସ ବି ନାହିଁ।ଇନ୍ସୁରାନ୍ସ ଥିଲେ ବି ସମ୍ପର୍ଣ୍ଣ ଟଙ୍କା ମିଳୁନି ଏବଂ ଅନେକ ରୋଗ ପାଇଁ ଦେଉ ବି ନାହାନ୍ତି।ମଶା,ଟିଙ୍କ ଆମ ଦେହରୁ ରକ୍ତ ଶୋଷିଲା ପରି ଏ ପ୍ରାଇଭେଟ ଡାକ୍ତର,ହସ୍ପିଟାଲବାଲା ଲୋକଙ୍କ ଇନ୍ସୁରାନ୍ସ ବା ସଞ୍ଚୟ ପଇସା ଚଳୁ କରି ରୋଗୀକୁ ବିଦା କରି ଦେଉଛନ୍ତି।ତେଣିକି ଭଗବାନ ଭରସା।ମୋ ପାଖରେ ଟଙ୍କା କାହିଁ ?”

ଟଙ୍କା ନାହିଁ ମାନେ ?ତୋ ପୁଅ ପରା ଏତେ ଟଙ୍କାର ପ୍ୟାକେଜ ପାଉଛି ?”
ଚୁପ ରହିଲେ ଶୁଭେନ୍ଦୁ।ତାଙ୍କ ଜୀଵନର ସମସ୍ତ ଜମାପୁଞ୍ଜିତ ଟୁକୁର ପାଠପଢ଼ା,ଷ୍ଟଡ଼ି ଲୋନ ସୁଝିବାରେ,ହଷ୍ଟେଲ ,ବିଦେଶରେ ଏମ ଵି ଏ ପଢ଼ାରେ ସରିଗଲା।ଟୁକୁପାଇଁ ବ୍ୟାଙ୍କ ଲୋନ ସୁଝିବାକୁ, ନିଜେ ଘର କରିବେ ବୋଲି କିଣିଥିବା ଜାଗା,ଗାଁ ବିଲ ବିକିଲେ।
ଦୀର୍ଘ ନିଶ୍ବାସ ନେଇ କହିଲେ,

ସେ ଟୋକାର କଣ ଚାକିରୀ ଆଉ ଅଛି ?
ଚାକିରୀ ଗଲା ପରେ ବିଜିନେସ କରିବ ବୋଲି ମୋ ଜିପିଏଫ,ପୋଭିଡ଼େଣ୍ଡ ଫଣ୍ଡ ଟଙ୍କା ବି ସବୁ ନେଇ ବୁଡେଇଦେଲା।ଆଉ ମୋ ପାଖରେ ଟଙ୍କା ନାହିଁ ବୋଲି,ଏବେ ରହିଛି ତା ଶ୍ୱଶୁର ଘରେ।ଫୋନ ଉଠାଉନି,ଘରକୁ ଆସୁନି।କୁଳାଙ୍ଗାର କେଉଁଠିକାର।ଆଉ ମୁଁ ହସ୍ପିଟାଲ ର ଦାମୀ ପ୍ୟାକେଜ କଣ କେମିତି ନେବି ?ସରକାରୀ ହସ୍ପିଟାଲ ସାହା ଭରସା।ତେବେ ଏଇନା ଡର ମାଡୁଛି।ଯଦି ମୋର କିଛି ହୋଇଯାଏ ,ସୁଜାତା କଣ କରିବ?”
ଜୁଳୁଜୁଳୁ କରି ଅନାଇ ଥିଲେ ବିଦ୍ୟାଧର ବାବୁ।ଶୁଭେନ୍ଦୁ ବାବୁଙ୍କ ହାତକୁ ଧରି ପକାଇ କହିଲେ,

ମୋ ଅବସ୍ଥା ବି ସେଇଆରେ।କାହାକୁ କହିବା ଆମ ଦୁଃଖ !ପିଲାଙ୍କ ଦରମା ପ୍ୟାକେଜ କଥା,ସେମାନଙ୍କ ଘର,ଗାଡି ,ବିଦେଶ ବୁଲା ଫଟ ଅନ୍ୟମାନଙ୍କୁ ଦେଖାଇ ଆମେ ଖୁସି ହେଉଛେ।ହେଲେ କେଉଁ ଅବସ୍ଥାରେ ଆମେ ଅଛେ ତା କିଏ ଜାଣିଛି ?ପ୍ରତି ପନ୍ଦର ଦିନରେ ଥରେ ମୁଁ ଯାଉଛି ଡାଇଲିସିସ ପାଇଁ।ପିଲା ଗୁଡାକ ବାହାନା ଦେଖାଉଛନ୍ତି ନିଜ ଖର୍ଚ୍ଚ,ଅସୁବିଧା କଥା କହି।ତୋ ଭାଉଜ ର ଗହଣା ସବୁ ବିକା ସାରିଲାଣି।ଜାଣିନି କେତେବେଳେ କଣ….ଶାନ୍ତିରେ ମରିବା ପାଇଁ ହେଲେ ପ୍ୟାକେଜ ମିଳନ୍ତା….
ଆଖିଟା ଛଳ ଛଳ ହୋଇଗଲା ବିଦ୍ୟାଧରଙ୍କର।
ବିଦ୍ୟାଧର ବାବୁ ଚାଲିଗଲେ।ସେମିତି ଚେୟାରରେ ବସିଥିଲେ ଶୁଭେନ୍ଦୁ।କଲିଙ୍ଗ ବେଲ ବାଜିଲା।ଫୋନରେ କଥା ହୋଇଥିବା ସେଇ ଲୋକ ଆସିଥିଲା।ତାକୁ ଛାତ ଉପରକୁ ନେଇଗଲେ ଶୁଭେନ୍ଦୁ ।
ହାତରେ ଧରିଥିବା ଗୋଟେ ଡାଏରୀ ଖୋଲି ଦେଖାଇ ସେ କହିଲା,

ଏଇ ଦେଖନ୍ତୁ ସାର୍,ଆମର ତିନିଟା ପ୍ୟାକେଜ।ସିଲଭର,ଗୋଲ୍ଦ ଏବଂ ଡାଇମଣ୍ଡ ପ୍ୟାକେଜ।

କେତେ ଦାମ ?

ସିଲଭର ପ୍ୟାକେଜ ହେଉଛି ସାଧାରଣ ପ୍ୟାକେଜ,ପଚାଶ ହଜାର ଟଙ୍କା।ଗୋଲ୍ଦ ପ୍ୟାକେଜ ଭାରି ପପୁଲାର,ଲକ୍ଷେ ଟଙ୍କା ଏବଂ ଡାଇମଣ୍ଡ ପ୍ୟାକେଜ ଦେଢ଼ ଲକ୍ଷ ଟଙ୍କା।”

କଣ ସବୁ ଅଲଗା ଏଇ ତିନି ପ୍ୟାକେଜ ଭିତରେ ?”

ସବୁ ପ୍ୟାକେଜରେ ଘରୁ ବା ହସପିଟାଲରୁ ଡେଡ଼ ବଡ଼ି ଆମେ ମହାପ୍ରୟାଣ ଗାଡ଼ିରେ ଶ୍ମଶାନକୁ ନେଇ ଦାହ ସଂସ୍କାର ଠୁ ଆରମ୍ଭ କରି ନଅ ଦିନ ଠାରୁ କର୍ମ ,ଏଗାର ଦିନ ଅଭଡ଼ା ଅନ୍ନ ପ୍ରସାଦ ଓ ଅସ୍ଥି ବିସର୍ଜନ ସବୁ କାମ କରୁ।ଆମକୁ ଖାଲି ଡେଥ୍ ସାର୍ଟିଫିକେଟ କପି ଓ ଟଙ୍କା ଦରକାର।ଦରକାର ହେଲେ ଆମେ ବି ହସ୍ପିଟାଲରୁ ଡେଥ୍ ସାର୍ଟିଫିକେଟ ବ୍ୟବସ୍ଥା କରୁ।କଷ୍ଟମର କୁ ସବୁ ସାହାଯ୍ୟ କରୁ।ପ୍ୟାକେଜ ଦାମ ଅନୁଯାୟୀ କାମ ଟିକେ ଅଲଗା।”

କେମିତି ?

ସିଲ୍ଭର ପ୍ୟାକେଜ ରେ ଲୋକଲ ଶ୍ମଶାନ ନେଉ।୧୧ ଜଣ ବ୍ରାହ୍ମଣ ଭୋଜନ, ଦାନ କର୍ମ ।ଗୋଲ୍ଦ ଓ ଡାଇମଣ୍ଡ ରେ ସ୍ବର୍ଗଦ୍ବାର ରେ ସଂସ୍କାର ଓ ସେଥିରେ ଯଥାକ୍ରମେ ୨୧ ଏବଂ ୫୧ ବ୍ରାହ୍ମଣ ଭୋଜନ ଦାନ କର୍ମ।ଫୁଲ, ସଜାସଜି ଟିକେ ଅଧିକ।ନିଜ ଲୋକ ନଥିଲେ ଆମେ ଭଡ଼ାରେ ଲୋକ ବି ଆଣୁ ରାମ ନାମ ସତ୍ୟ କହିବାକୁ ଓ ମଶାଣି ଯାଏଁ ଯିବାକୁ।ଦାନରେ ପ୍ୟାକେଜ ଅନୁସାରେ ଦାହ ବେଳେ ଘିଅ ର ପରିମାଣ ନିର୍ଦ୍ଧାରଣ କରାଯାଏ ଓ ଖାଲି ଗୀତା ବହି ନହେଲେ ଗାମୁଛା କିମ୍ବା ଧୋତି ଗାମୁଛା ଦାନ କରାଯାଏ।କେବଳ ଡାଇମଣ୍ଡ ପ୍ୟାକେଜରେ ଚନ୍ଦନ କାଠ ଓ ବ୍ରାଣ୍ଡେଡ଼ ଦେଶୀ ଗୁଆ ଘିଅ ବ୍ୟବସ୍ଥା ଅଛି।ବେଦ ମନ୍ତ୍ର ଉଚ୍ଚାରଣ ସହ କର୍ମ।ଯାହାର ପିଲା ଉପସ୍ଥିତ ନଥିବେ ତାଙ୍କ ପାଇଁ ଆମେ କର୍ମ କରୁ।ବିଦେଶରେ ଥିବା ପିଲାଙ୍କ ପାଇଁ ଦାହ ଓ କର୍ମର ଲାଇଭ ଭିଡିଓ ଆୟୋଜନ କରୁ।ଭୋଜି ଓ ପୁସ୍କରା କର୍ମ ଖର୍ଚ ଅଲଗା।ଲୋକମାନେ ଆଡ଼ଭାନ୍ସ ବୁକିଙ୍ଗ କରୁଛନ୍ତି,ନିଜ ପାଇଁ ,ନିଜ ବାପା ମା ଆତ୍ମୀୟଙ୍କ ପାଇଁ।ସିଧା ସ୍ବର୍ଗକୁ ଯିବାର ପ୍ୟାକେଜ।ଆପଣ କେଉଁ ପ୍ୟାକେଜ ନେବେ ଓ କାହା ପାଇଁ ?ହସ୍ପିଟାଲ ରେ କିଏ ପଡିଛି ?”

ମୋ ନିଜ ପାଇଁ।”
ଚମକି ପଡ଼ିଲା ସେ ଲୋକ।
ଟିକେ ରହି ଶୁଭେନ୍ଦୁ ପଚାରିଲେ,
-ଆଉ ଶସ୍ତାରେ କିଛି ପ୍ୟାକେଜ ନାହିଁ ?କିଛି ଡିସକାଉଣ୍ଟ ?କାରଣ ମୁଁ ଯଦି ମରିଯାଏ ମୋ ସ୍ତ୍ରୀ ଯେମିତି ଏକୁଟିଆ ହଇରାଣ ନହୁଏ।କିଛି ଟଙ୍କା ପଇସା ତା ପାଖରେ ରହିବା ଦରକାର।ଅଯଥାରେ ଏଇ କର୍ମରେ ଖର୍ଚ୍ଚ ସବୁ ମୋତେ ପସନ୍ଦ ନୁହଁ।”
ଡାଇରୀ ବନ୍ଦ କରି ସେ କହିଲା

ପତିତପାବନ ପ୍ୟାକେଜ।ମାତ୍ର ପନ୍ଦର ହଜାର ଟଙ୍କା।କେବଳ ଶ୍ମଶାନ ରେ ଦାହ କରି ତା ପର ଦିନ ପୁରୀ ମହୋଦଧି ରେ ଅସ୍ଥି ବିସର୍ଜନ କରିଦେଉ।ପାଞ୍ଚ ଜଣ ବ୍ରାହ୍ମଣ ଭୋଜନ।ଚିପ ଆଣ୍ଡ ବେଷ୍ଟ।ଆପଣ କେଉଁଟା ଫାଇନାଲ କଲେ ?
କିଛି ଉତ୍ତର ଦେବା ପୂର୍ବରୁ କବାଟ କଣ ରେ ଠିଆ ହୋଇଥିବା ସୁଜାତାଙ୍କୁ ଦେଖି ଚମକି ପଡିଲେ ଶୁଭେନ୍ଦୁ।ସବୁ ନିଶ୍ଚୟ ଶୁଣିଛନ୍ତି ସୁଜାତା।
ପାଖକୁ ଆସି ସୁଜାତା ଶୁଭେନ୍ଦୁଙ୍କୁ କହିଲେ,

ଆଛା ଚୁପ ଚାପ ଏଇ ପ୍ୟାକେଜ କଥା ଚାଲିଛି ?”
ବୁଲିପଡ଼ି ସେଇ ଲୋକକୁ ପଚାରିଲେ,

ଆପଣଙ୍କର କିଛି ୱାନ ପ୍ଲସ୍ ୱାନ ଅଫର ଅଛି ?ମାନେ ଜଣଙ୍କ ସହିତ ଅନ୍ୟ ଜଣଙ୍କ କର୍ମ……
ଶୁଭେନ୍ଦୁ କୁଣ୍ଢାଇ ପକାଇଲେ ସୁଜାତାଙ୍କୁ।ଦୁହେଁ କାନ୍ଦୁଥିଲେ।ବନ୍ଦ ହୋଇ ରହିଥିବା ଲୁହର ପ୍ୟାକେଜ ଯେମିତି ଖୋଲି ଯାଇଥିଲା।

Leave a Reply